ମିଆଁମାରର ଦକ୍ଷିଣ-ପଶ୍ଚିମ ଉପକୂଳରେ ବାଂଲାଦେଶ ସଂଲଗ୍ନ ‘ରଖିନ୍’ ପ୍ରଦେଶ ଅବସ୍ଥିତ । ‘ରଖିନ୍’ର ପୁରୁଣା ନାମ ‘ଅରାକାନ୍’ ଓ ତା ପୂର୍ବରୁ ‘ରାହିଙ୍ଗ୍’ ଥିଲା । ଏହି ରୋହିଙ୍ଗ୍ (ରଖିନ୍) ପ୍ରଦେଶର ମୂଳତଃ ବଙ୍ଗଳାଭାଷୀ ମୁସଲମାନ୍ମାନେ ‘ରୋହିଙ୍ଗ୍ୟା’ ନାମରେ ପରିଚିତ । ସରକାରୀ ଜନଗଣନା ଅନୁଯାୟୀ ୬ କୋଟି ଜନସଂଖ୍ୟା ବିଶିଷ୍ଟ ମିଆଁମାରରେ ଏମାନଙ୍କ ସଂଖ୍ୟା ୫ ପ୍ରତିଶତ ଏବଂ ସେମାନେ ମୁଖ୍ୟତଃ ସୁନ୍ନି ସମ୍ପ୍ରଦାୟର । ସମୁଦାୟ ଜନସଂଖ୍ୟାର ୮୯ ପ୍ରତିଶତ ବୌଦ୍ଧ ଧର୍ମାବଲମ୍ବୀ ଓ ସେମାନଙ୍କ ମଧ୍ୟରୁ ‘ଥେରାୱାଡା’ ସମ୍ପ୍ରଦାୟ ସଂଖ୍ୟାବହୁଳ ଓ ପ୍ରଭାବଶାଳୀ । ‘ରୋହିଙ୍ଗ୍ୟା’ମାନେ ନିଜକୁ ମିଆଁମାର ଅଧିବାସୀ ବୋଲି ଦାବି କରୁଥିଲେ ସୁଦ୍ଧା, ସଂଖ୍ୟାବହୁଳ ‘ବର୍ମାନ୍’ ଜନସାଧାରଣ ତାଙ୍କୁ ବଙ୍ଗାଳି ମୁସଲମାନ୍ ଓ ଅନୁପ୍ରବେଶକାରୀ ବୋଲି ବିଚାର କରିଥାଆନ୍ତି । ତେଣୁ ସରକାରୀ ସ୍ତରରେ ମଧ୍ୟ ମିଆଁମାରର ୧୩୫ଟି ମୂଳଜାତି ମଧ୍ୟରେ ‘ରୋହିଙ୍ଗ୍ୟା ମୁସଲମାନ’ଙ୍କୁ ସାମିଲ କରାଯାଇନାହିଁ । ୧୮୨୦ରେ ବର୍ମାନ୍ମାନେ ‘ଆରାକାନ୍’ ଉପକୂଳ ଅଞ୍ଚଳକୁ ବ୍ରିଟିଶ୍ ଶାସନାଧୀନ ଭାରତକୁ ସମର୍ପଣ କରିବାପାଇଁ ବାଧ୍ୟ ହେଲେ । ଫଳତଃ ବଙ୍ଗଳାଭାଷୀ ମୁସଲମାନମାନେ ଉକ୍ତ ଅଞ୍ଚଳରେ ବସତି ସ୍ଥାପନ କରିବାପାଇଁ ସୁଯୋଗ ପାଇଲେ । ୧୯୪୭ରେ ଭାରତର ସ୍ୱାଧୀନତା ତଥା ବିଭାଜନ ଏବଂ ୧୯୪୮ରେ ବର୍ମାର ସ୍ୱାଧୀନତା ଲାଭପରେ ସୀମାନିର୍ଦ୍ଧାରଣ ସତ୍ତେ୍ୱ, ପୂର୍ବ-ପାକିସ୍ତାନରୁ ଅନୁପ୍ରବେଶ ଜାରି ରହିଲା । ମିଆଁମାରରେ ଭାରତର ରାଷ୍ଟ୍ରଦୂତ ରହିଥିବା ଶ୍ରୀ ଭାସ୍କର ମିଶ୍ରଙ୍କ ସୂଚନା ଅନୁଯାୟୀ, ୧୯୪୦ରୁ ବର୍ମାରେ କିଛି ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ସକ୍ରିୟ ଥିଲେ ଏବଂ ୧୯୪୬ରେ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ପ୍ରସ୍ତାବିତ ପୂର୍ବ- ପାକିସ୍ଥାନରେ ମିଆଁମାରର କିଛି ଅଂଶ ସାମିଲ କରିବାପାଇଁ ଅନୁରୋଧ କରିଥିଲେ । କିନ୍ତୁ ସାମରିକ ପଦକ୍ଷେପ ଯୋଗୁଁ ତାହା ସେତେବେଳେ ସଫଳ ହୋଇ ନଥିଲା । ମାତ୍ର ୧୯୪୮ରେ ବର୍ମାର ସ୍ୱାଧୀନତା ପରେପରେ, ମୁଜାହିଦ୍ଦିନ୍ମାନେ ରକ୍ତାକ୍ତ ସଂଘର୍ଷକରି ଆରାକାନ୍ର ରୋହିଙ୍ଗ୍ୟା ବହୁଳ ‘ମୟୁ’ ଅଞ୍ଚଳକୁ ନୂଆଭାବେ ଗଢିଉଠିଥିବା ଇସ୍ଲାମୀ ରାଷ୍ଟ୍ର ପୂର୍ବ-ପାକିସ୍ତାନ ସହିତ ସାମିଲ କରିଥିଲେ । କାଳକ୍ରମେ ଏହି ମୁଜାହିଦ୍ଦିନ୍ମାନଙ୍କୁ ବର୍ମା ସେନାବାହିନୀ ଦମନ କରିଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମୂଳପୋଛ କରିପାରିନାହିଁ । ଇତିମଧ୍ୟରେ ‘ରୋହିଙ୍ଗ୍ୟା’ଙ୍କ ସଂଖ୍ୟା ୩୦ ଲକ୍ଷରେ ପହଞ୍ଚି ସାରିଲାଣି । ବିଶ୍ୱ ମୁସଲମାନ ଜଗତ ଇଣ୍ଡୋନେସିଆରେ ଖ୍ରୀଷ୍ଟିଆନଙ୍କ ପାଇଁ ‘ତିମୁର’ ଓ ଆଫ୍ରିକାରେ ସୁଦାନର ଦକ୍ଷିଣ ଭାଗକୁ ନେଇ ‘ଦକ୍ଷିଣ ସୁଦାନ’ ନାମରେ ଅଲଗା ଦେଶ ଗଠନ ହେଲାପରି, ରୋହିଙ୍ଗ୍ୟାଙ୍କ ପାଇଁ ଏକ ସ୍ୱତନ୍ତ୍ର ଇସ୍ଲାମୀ ରାଷ୍ଟ୍ର ଗଠନ କରିବାପାଇଁ ପ୍ରୋତ୍ସାହନ ଦେଇ ଆସୁଛନ୍ତି । ଏହି କାର୍ଯ୍ୟରେ ପାକିସ୍ତାନ ସମେତ ଅନ୍ୟାନ୍ୟ ମୁସଲମାନ ଦେଶ ସକ୍ରିୟ ଅଛନ୍ତି । କିଛି ଚରମପନ୍ଥୀ ରୋହିଙ୍ଗ୍ୟା ଗୋଷ୍ଠୀଙ୍କର ଅଲକାଏଦା ଏବଂ ଅନ୍ୟାନ୍ୟ ଉଗ୍ରବାଦୀ ସଂଗଠନ ସହିତ ସମ୍ପର୍କ ରହିଥିବା ପ୍ରମାଣ ମିଳିସାରିଛି । ତେଣୁ ରୋହିଙ୍ଗ୍ୟାମାନଙ୍କୁ ମିଆଁମାରରେ ବିଚ୍ଛିନ୍ନତାବାଦୀ ଭାବରେ ଗଣନା କରାଯାଇ ବ୍ୟାପକ ଜନଆକ୍ରୋଶ ସୃଷ୍ଟି ହୋଇଛି । ମିଆଁମାରରେ ୨୦୧୦ରେ ରାଜନୀତିକ ପଟ୍ଟପରିବର୍ତ୍ତନ ସହିତ ଏକ ନୂତନ ଜାତୀୟତାବାଦର ଜୁଆର ଉଠିଛି । ଏହି ପରିପ୍ରେକ୍ଷୀରେ ରୋହିଙ୍ଗ୍ୟା ମୁସଲମାନଙ୍କୁ ଦେଶର ସାର୍ବଭୌମତ୍ୱ, ରାଷ୍ଟ୍ରୀୟ ପରିଚୟ ଏବଂ ସୁରକ୍ଷା ପ୍ରତି ବିପଦ ବୋଲି ବିଚାର କରି ତାଙ୍କ ଉପରେ ଆକ୍ରମଣ ଆରମ୍ଭ ହେଉଛି । ଫଳତଃ ବିଗତ ବର୍ଷ ମାନଙ୍କରେ ‘ରୋହିଙ୍ଗ୍ୟା’ ଓ ‘ବୌଦ୍ଧ’ଙ୍କ ମଧ୍ୟରେ ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗା ସଂଘଟିତ ହୋଇଛି । ଏହି ଦଙ୍ଗାପୀଡିତ, ପ୍ରତିଶୋଧ ପରାୟଣ ରୋହିଙ୍ଗ୍ୟାମାନେ ବହୁ ସଂଖ୍ୟାରେ ବାଂଲାଦେଶ ବାଟଦେଇ ଭାରତ ଭିତରକୁ ଧସେଇ ପଶୁଛନ୍ତି । ବାଂଲାଦେଶ ଯଦିଓ ଏକ ମୁସଲମାନ ରାଷ୍ଟ୍ର ଏବଂ ରୋହିଙ୍ଗ୍ୟାମାନେ ମୂଳତଃ ବଙ୍ଗଳାଭାଷୀ, ତଥାପି ଏମାନଙ୍କୁ ନାଗରିକ ଭାବରେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ବି.ଏସ୍.ଏଫ୍. ଆଇ.ଜି. ସନ୍ତୋଷ ମେହେରାଙ୍କ ସୂଚନା ଅନୁଯାୟୀ ନିକଟ ଅତୀତରେ ପଶ୍ଚିମବଙ୍ଗର ଉତ୍ତର-ଚବିଶ ପ୍ରଗଣା ଜିଲ୍ଲାର ବାଂଲାଦେଶ ସୀମାରୁ ଏହିପରି ଅନୁପ୍ରବେଶ ଚେଷ୍ଟା କରୁଥିବା ଅନେକ ରୋହିଙ୍ଗ୍ୟାଙ୍କୁ ଗିରଫ କରାଯାଇଛି । ସେହିପରି ଉତ୍ତରବଙ୍ଗର ବାଲୁରଘାଟ ସୀମାବର୍ତ୍ତୀ ଅଞ୍ଚଳରୁ ୭ଜଣଙ୍କୁ ଏବଂ ରାଜ୍ୟ ପୁଲିସ୍ ଦ୍ୱାରା ମଧ୍ୟ ଶହ ଶହ ରୋହିଙ୍ଗ୍ୟାଙ୍କୁ ଗିରଫ କରାଯାଇଛି । ବିଭିନ୍ନ ସୂତ୍ରରୁ ମିଳୁଥିବା ଖବର ଅନୁସାରେପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ବହୁସଂଖ୍ୟାରେ ଏମାନଙ୍କ ଅନୁପ୍ରବେଶ ଘଟିଛି । ସବୁଠାରୁ ଅଧିକ ଅନୁପ୍ରବେଶ ସ୍ୱରୂପନଗର, ବଶୀରହାଟ, ଗାୟାଘାଟା ଇତ୍ୟାଦି ସୀମାବର୍ତ୍ତୀ ଅଞ୍ଚଳରେ ଘଟୁଛି । ମିଆଁମାରରୁ ସିଧା ଭାରତ ଭିତରକୁ ଅନୁପ୍ରବେଶ ହେଉ ନଥିବାରୁ, ମିଆଁମାର୍ ସରକାରଙ୍କ ସହିତ ମଧ୍ୟ ଏ ସମ୍ବନ୍ଧରେ ଆଲୋଚନା କରିବା ସମ୍ଭବ ହୋଇପାରୁ ନାହିଁ । ଉପଲବ୍ଧ ତଥ୍ୟ ଅନୁଯାୟୀ ପ୍ରାୟ ୪୦ ହଜାର ରୋହିଙ୍ଗ୍ୟା ଭାରତର ବିଭିନ୍ନ ରାଜ୍ୟରେ ଅନୁପ୍ରବେଶ କରିସାରିଲେଣି । ଗତ ବର୍ଷ ଦକ୍ଷିଣ ଦିଲ୍ଲୀରେ ୨ ହଜାର ରୋହିଙ୍ଗ୍ୟା ଅବସ୍ଥାନ କରି ବସନ୍ତବିହାରସ୍ଥିତ ‘ୟୁନାଇଟେଡ୍ ନେସନ୍ସ ହ୍ୟୁମାନ୍ ରାଇଟ୍ସ କମିଶନ’ ନିକଟରେ ସେମାନଙ୍କୁ ଅନ୍ତର୍ଜାତୀୟ ଶରଣାର୍ଥୀର ମାନ୍ୟତା ଦେବାକୁ ଦାବି କରିଥିଲେ । ମାତ୍ର ବେଆଇନ୍ ଅନୁପ୍ରବେଶ କରିଥିବାରୁ ତାହା ସମ୍ଭବ ହୋଇନଥିଲା । ଜନସାଧାରଣଙ୍କ ଚାପଯୋଗୁଁ ସେମାନେ ବିତାଡିତ ହୋଇ ହାଇଦ୍ରାବାଦର ମୁସଲମାନ ବହୁଳ ଅଞ୍ଚଳରେ ଆଶ୍ରୟ ନେଇଥିଲେ । ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାନା, ପୁନେ, ଜାମ୍ମୁ ଓ କାଶ୍ମୀରର ଅନେକ ମଦ୍ରାସା ଓ ୱାକଫ୍ ବୋର୍ଡ ଦାୟିତ୍ୱରେ ରୋହିଙ୍ଗ୍ୟାମାନେ ଅବସ୍ଥାପିତ ହେବା ସୂଚନା ପ୍ରାପ୍ତ ହେଉଛି । ଏବେ ସେମାନେ ପଶ୍ଚିମବଙ୍ଗ ଓ ଆଶାମରୁ କେରଳ , ତେଲେଙ୍ଗାନା, ଓ କେରଳ ଅଭିମୁଖେ ଟ୍ରେନ ଯୋଗେ ପଳାୟନ କରୁଛନ୍ତି । ଏଥିନେଇ ଗୃହମନ୍ତ୍ରାଳୟ ସତର୍କ ସୂଚନା ଜାରି କରିଛି । ରେଳ ବିଭାଗ ମଧ୍ୟ ଆରପିଏଫକୁ ସତର୍କ ସୂଚନା ଜାରି କରି କେଉଁ ଟ୍ରେନ ଯୋଗେ ରୋହିଙ୍ଗ୍ୟାମାନେ ଅନ୍ୟ ରାଜ୍ୟରେ ପଶୁଛନ୍ତି ତାହା ସୂଚିତ କରିଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି, ରୋହିଙ୍ଗ୍ୟା ଅନୁପ୍ରବେଶ ପ୍ରତି ସରକାରଙ୍କ ଚରମ ଉଦାସୀନତା ଏବଂ ନରମ ଆଭିମୁଖ୍ୟ, ଭାରତକୁ ମହଙ୍ଗା ପଡିବନି ତ ? ମିଆଁମାରରେ ରୋହିଙ୍ଗ୍ୟାଙ୍କ ଉପରେ ଆକ୍ରମଣର ବିରୋଧ କରି ମୁମ୍ବାଇର ଆଜାଦ୍ ମଇଦାନରେ ଇସ୍ଲାମୀ ଚରମପନ୍ଥୀଙ୍କ ତରଫରୁ ହିଂସାତ୍ମକ ପ୍ରଦର୍ଶନ କରାଯାଇଥିଲା । ଜୁଲାଇ ୭ ତାରିଖରେ ବୌଦ୍ଧମାନଙ୍କ ସର୍ବଶ୍ରେଷ୍ଠ ଶ୍ରଦ୍ଧାକେନ୍ଦ୍ର ବୋଧଗୟା ମହାବୋଧି ମନ୍ଦିରରେ ସିରିଏଲ୍ ବିସ୍ଫୋରଣ ପଛରେ ମଧ୍ୟ ‘ରୋହିଙ୍ଗ୍ୟା’ଙ୍କ ଭୂମିକା ରହିଥିବା ସୂଚନା ମିଳିଛି । ଇଣ୍ଡିଆନ୍ ମୁଜାହିଦ୍ଦିନ୍ ସହିତ ଘନିଷ୍ଠ ସମ୍ପର୍କ ରଖୁଥିବା ଲସ୍କର-ଇ-ତୋଏବା ଏବଂ ତାହାର ନୂତନ ଅବତାର ‘ଜମାତ୍-ଉଦ୍- ଦୱା’ ରୋହିଙ୍ଗ୍ୟାମାନଙ୍କୁ ଅନେକ ଦିନରୁ ଆତଙ୍କବାଦ ପ୍ରଶିକ୍ଷଣ ଦେଇଆସୁଛନ୍ତି । କରାଚୀ ପ୍ରେସ୍ କ୍ଲବ୍ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ‘ଜମାତ୍-ଉଦ୍-ଦୱା’ର ଆତଙ୍କବାଦୀ ନେତା ‘ହାଫିଜ୍ ସୟିଦ୍’ ଘୋଷଣା କରିଥିଲା ଯେ- “ମିଆଁମାରି ମୁସଲମାନଙ୍କୁ ଜେହାଦ୍ ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ । ଜମାତ୍-ଉଦ୍-ଦୱା ରୋହିଙ୍ଗ୍ୟା ଆକ୍ରମଣରେ ମୂକ ଦର୍ଶକ ହୋଇ ବସି ରହିବ ନାହିଁ ।” ଜେହାଦ୍ ନିମନ୍ତେ କମ୍ପ୍ୟୁଟର ଓ ସୋସିଆଲ ମିଡିଆର କିଭଳି ପ୍ରଭାବଶାଳୀ ପ୍ରୟୋଗ କରାଯିବ, ସେଥିପାଇଁ ପାକିସ୍ତାନର “ମର୍କଜ୍-ଅଲ୍-କୁବା-ମଦ୍ରାସା”ରେ ରୋହିଙ୍ଗ୍ୟାମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କର୍ମଶାଳା ମଧ୍ୟ ଆତଙ୍କବାଦୀ ସଂଗଠନ ତରଫରୁ ଆୟୋଜନ କରାଯାଇଥିଲା । ଆମେରିକା, ବାଂଲାଦେଶ, ସିଙ୍ଗାପୁର ଏବଂ ଭାରତର ଗୁପ୍ତଚର ସଂସ୍ଥାର ମିଳିତ ତଥ୍ୟ ଅନୁଯାୟୀ, ‘ଲସ୍କର-ଇ-ତୋଏବା’ ଓ ‘ଜମାତ୍-ଉଦ୍-ଦୱା’ ମିଆଁମାରରେ “ଦିଫା-ଏ-ମୁସଲମାନ୍ ଅରାକାନ୍ (ବର୍ମା)” ନାମକ ଏକ ଆତଙ୍କବାଦୀ ସଂଗଠନ ରୋହିଙ୍ଗ୍ୟାମାନଙ୍କ ପାଇଁ ବହୁବର୍ଷ ପୂର୍ବରୁ ଆରମ୍ଭ କରିସାରିଛନ୍ତି । ପାକିସ୍ତାନୀ ଆତଙ୍କବାଦୀ ସଂଗଠନଗୁଡିକ ସେମାନଙ୍କ ବାଂଲାଦେଶୀ ସହଯୋଗୀମାନଙ୍କୁ ରୋହିଙ୍ଗ୍ୟାମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟରେ ଲଗାଇଛନ୍ତି । ‘ହର୍କତ୍-ଉଲ୍-ଜିହାଦ୍-ଅଲ୍ଇସ୍ଲାମି’ ଓ ‘ଜମାତ୍-ଉଲ୍-ମୁଜାହିଦ୍ଦିନ୍ ବାଂଲାଦେଶ’ ନାମକ ଆତଙ୍କବାଦୀ ସଂଗଠନ, ମିଆଁମାରରେ ‘ଜମାତ୍-ଉଲ୍-ଅରାକାନ୍’ ନାମରେ ଏକଶାଖା ଆରମ୍ଭ କରିଛନ୍ତି । ଏହି ଉଗ୍ରବାଦୀ ସଂଗଠନ ମିଆଁମାର୍ ସୀମା ସଂଲଗ୍ନ ବାଂଲାଦେଶର ‘ବନ୍ଦାର ବନ’ ଜିଲାର ସୁଦୂର ନିକାଞ୍ଚନ ସ୍ଥାନମାନଙ୍କରେ ପ୍ରଶିକ୍ଷଣ ଶିବିର ଚଳାଇ ଆସୁଛି । ତେଣୁ ଏହି ଦଙ୍ଗା ପୀଡିତ, ଅନ୍ତର୍ଜାତୀୟ ଉଗ୍ରବାଦୀ ସଂଗଠନ ସହିତ ସମ୍ପୃକ୍ତ, ଜେହାଦୀ ରୋହିଙ୍ଗ୍ୟାଙ୍କ ଭାରତରେ ବେଲଗାମ୍ ଅନୁପ୍ରବେଶ, ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ କେତେ ସମ୍ବେଦନଶୀଳ ଚିନ୍ତା କରାଯାଇପାରେ । ଭାରତ ବହୁପୂର୍ବରୁ ଅବୈଧ ବାଂଲାଦେଶୀ ଅନୁପ୍ରବେଶ ଯୋଗୁଁ ଜନସଂଖ୍ୟାରେ ଅସନ୍ତୁଳନ ଘଟି ଅନେକ ପ୍ରକାରର ସାମାଜିକ, ସାଂସ୍କୃତିକ, ଆର୍ôଥକ, ରାଜନୀତିକ ସମସ୍ୟାରେ ଜର୍ଜରିତ । ଭାରତର ମତଦାତା ପରିଚୟପତ୍ର ହାସଲ କରି ଆସାମ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟର ସୀମାବର୍ତ୍ତୀ ଜିଲାମାନଙ୍କରେ ବାଂଲାଦେଶୀ ମତଦାତା ଆଜି ନିର୍ଣ୍ଣାୟକ ଭୂମିକାରେ । ବାଂଲାଦେଶ ଓ ନେପାଳ ସୀମାକୁ ଲାଗି ବିହାରର କିଶନଗଂଜଠାରୁ ଇସ୍ଲାମ୍ପୁର ପର୍ଯ୍ୟନ୍ତ ୩୨ କିମି ଅଞ୍ଚଳ ‘ଚିକେନ୍ ନେକ୍’ ଭାବରେ ପରିଚିତ । ଏହି ‘ଚିକେନ୍ ନେକ୍’ ଏକମାତ୍ର ଭୂଭାଗ ଯାହା ମଧ୍ୟଦେଇ ସମ୍ପୂର୍ଣ୍ଣ ଉତ୍ତରପୂର୍ବ ସହିତ ସମ୍ପର୍କ ରକ୍ଷା କରାଯାଇଥାଏ । ମାତ୍ର ଏହି ଅଞ୍ଚଳକୁ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀମାନେ କବ୍ଜାକୁ ନେଇସାରିଲେଣି । ‘ଚିକେନ୍ ନେକ୍’ ପଟ୍ଟିକୁ ‘ରୋହିଙ୍ଗ୍ୟା’ଙ୍କ ବହୁସଂଖ୍ୟାରେ ଅନୁପ୍ରବେଶ ପରିସ୍ଥିତିକୁ ଆହୁରି ବିପଜ୍ଜନକ କରିବ । ଚୀନ ଯୁଦ୍ଧ ସମୟରେ ‘ବାଗ୍ଡୋଗ୍ରା’ ବିମାନବନ୍ଦରକୁ ସୁରକ୍ଷିତ ରଖିବା ପାଇଁ ‘ଚିକେନ୍ ନେକ୍’ ନିକଟସ୍ଥ ବିହାରର ‘ପୂର୍ଣ୍ଣିଆ’ ଜିଲାରେ ‘ଚୁନାପୁର’ ବିମାନବନ୍ଦରକୁ ବିକଶିତ କରାଯାଇଥିଲା । ଆଜି ତା ଚାରିପଟେ ବାଂଲାଦେଶୀ ଓ ମ୍ୟାନ୍ମାରର ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ଆସ୍ଥାନ । ଏଠାରେ ଆଇଏସ୍ଆଇର ଗତିବିଧି ଜାରିରହିଛି । ତେଣୁ ଅବୈଧ ଅନୁପ୍ରବେଶକାରୀଙ୍କୁ ତକ୍ରାଳ ଚିହ୍ନଟ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ।